Unknown

ଅନୁରାଗ ରତ୍ନାକର ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

ଅନୁରାଗ ରତ୍ନାକର ଚଉତିଶା

ଅନୁରାଗ ରତ୍ନାକର ଚଉତିଶାରେ ରସିକରାଜ କୃଷ୍ଣଚନ୍ଦ୍ରଙ୍କ ଅନୁରାଗର ଯେଉଁ ଉଲ୍ଲୋଳ କଲ୍ଲୋଳ ଉଠିଅଛି ତାହାର ପଟାନ୍ତର ଓଡ଼ିଆ ସାହିତ୍ୟରେ ଅଛି କି ନାହିଁ ସନ୍ଦେହ । ଏ ଚଉତିଶା କ୍ଷୁଦ୍ର କବିତା ହେଲେହେଁ ଖଣ୍ଡ-କାବ୍ୟବତ୍ ଉତ୍କଳର ଜନ ମନ ହରଣ କରି ଉତ୍କଳ-ଭାରତୀଙ୍କ ଭଣ୍ଡାରରେ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରିବ ।

 

ରାଗ କାଳି

କାଳିନ୍ଦୀକୂଳେ କଦମ୍ବମୂଳେ କୃଷ୍ଣ ରାଧାଙ୍କୁ ଦେଖି

କୃପା ସରାଗେ କହନ୍ତି ଆଗେ ହେ ଚନ୍ଦ୍ରଜିତ-ମୁଖି !

କି ବୋଲି ତତେ ବୋଲିବି ମତେ ଏ କଥା କହୁ କିନା

କାଳକ ଏହି ସଂଶୟ ବହି ହେଲି ଚଞ୍ଚଳମନା ।୧।

 

ଖୋଜି ଯେବେହେଁ ବୋଲିବି ସ୍ନେହେ ତୁ ମୋର ଫୁଲଗଭା

ଖଞ୍ଜନ-ଜିତ- ନେତ୍ରି ! ତେବେ ତ ଥୋକାଏ କାଳ ଶୋଭା ।

ଖରେ ଖସାଇ ପକାଇ ଦେଇ ଅଣଆଦର କରି

ଖୀଣ-ଉଦରି ! କନକ-ଗୋରି ! ଏହି କଥାକୁ ଡରି ।୨।

 

ଗଳାର ହାର ବୋଇଲେ ହାର ପଦେ ରହିଲା କଥା

ଗୁଣ-ଗଉରି ! ହୃଦୟହାରି ! ହୃଦେ ହୁଅଇ ବଥା

ଗୁଣି ଗୁଣି ବା ବୋଲିବି ମୋର ଗନ୍ଧତିଳକ ତୁହି

ଗଲା ସେ ଭାବ ତିଳକେ ଯହୁଁ ତିଳକେ ଅଛି ନାହିଁ ।୩।

 

ଘେନାଘେନିରେ ବୋଲିବି ଘନ- ସାର ଚନ୍ଦନ ମୋର

ଘଡ଼ିକେ ଶୁଖି ଛାଡ଼ିପଡ଼ି ସେ ଅଙ୍ଗରୁ ହୋଇ ଦୂର ।

ଘୁଣାକ୍ଷରକେ ଅନ୍ତର ନୋହି ମହାସୁଖକୁ ଦେବ

ଘନଜଘନା ! ଘଟଣସ୍ତନା ! କହ ମୋତେ ଏ ଭାବ ।୪।

 

ନେତ୍ରପ୍ରତିମା ବୋଲି ବୋଇଲେ ସହଜେ ନେତ୍ର-ସାର

ନିର୍ମ୍ମଳ କରି ସକଳ ଦେଖି ସବୁରି ମନୋହର ।

ନୋହଇ ଆଦ- ରଶ ବିହୀନେ ନଜ ଦର୍ଶନ ସୁଖ

ନବକିଶୋରି ! କନକଗୋରି ! ଏହି ତ ବଡ଼ ଦୁଖ ।୫।

 

ଚତୁରୀମଣି ! ପରାଣମଣି ବୋଲିବା ଆଭାସଇ

ଚିତ୍ତରେ ଆସି ସଂଶୟ ବସି ପୁଣି ତା ବିନାଶଇ

ଚାରି ପହର ବନ ବିହାର ହେବାର ଚାରି ଯୁଗ

ଚଣ୍ଡାଳ ବିହି କରି ଯେ ନାହିଁ କ୍ଷଣେ ହେବା ବିଯୋଗ ।୬।

 

ଛାଡ଼ି ତୋ ସଙ୍ଗ ଯେବେ ଏ ଅଙ୍ଗ ରହଇ ହୋଇ ଭିନ୍ନ

ଛନ୍ଦେ କେମନ୍ତେ ବୋଲିବି ପ୍ରିୟେ ମୁଁ ମୀନ ତୁ ଜୀବନ ?

ଛିନ୍ଦ୍ର ଦରଶୀ- ମାନେ ଯେ ହସି ଉଡ଼ାଇ ଦେବେ ଆଗ

ଛୁରୀ-ଘାତରୁ ଅଧିକ ହୋଇ ବାଧେ ତାହାଙ୍କ ବାଗ ।୭।

ଯେବେ ତଟିନୀ ତରି ତରଣୀ- ଠାରେ ନୁହନ୍ତା ହେଳା

ଜଗ-ମୋହିନି ! ତେବେ ବୋଲନ୍ତି ମଦନ-ନଦୀ-ଭେଳା ।

ଯତନ କରି ଯେବେ ବୋଲିବି ଦିବ୍ୟ ହଂସୁଲୀ ତୁଳୀ

ଯୁବତୀ-ରତ୍ନ ! ସେ କୋମଳକୁ ତୋହୋ ଶ୍ରୀଅଙ୍ଗ ବଳି ।୮।

 

ଝସକେତନ କେଳିରତନ- ଭଣ୍ଡାର ଅବା କେତେ

ଝଳି-ଗଉରି ! ବିଚିତ୍ରକରି ତୁ ଦେଉ ଯେତେ ଯେତେ

ଝୀନବସନା ବଚନଘେନା ମହାପୃଥୁଳସ୍ତନା

ଝାସି ଅନେକ- ବାର ସାଗରେ ତୋତେ ପାଇଛି ସିନା ।୯।

ନିଧନ ଧନ ବୋଇଲେ ମନ ଘେନଇ ଆନ ବାଟେ

ନେଇ ବିକିବା ଦେହ ରଖିବା ବିଚାରେ ସ୍ନେହ ତୁଟେ

ନୋହିଲେ ଅବା ବୋଲିବି କାମ- ଧ୍ୱଜ ଜୟ ପତାକା

ନିବିଡ଼େ ଉଡ଼େ ପଛକୁ ପଡ଼େ ହୁଅଇ ଏହି ଦକା ।୧୦।

ଟଙ୍କଧରଙ୍କ- ବଇରୀ-ଟୋପ- ନିଶ୍ରେଣୀ ଲକ୍ଷ ଦେଲେ

ଟାଣ ଦାରୁରେ ନିର୍ମାଣ ସେହି ଯେଡ଼େ ଯତନ ହେଲେ

ଟେକେ ତୋ ଟେକ ଟେକିଲେ କିମ୍ପା ଟିକାଏ ହେବ ଶେଷ

ଟାହି ନୋହଇ ନିତମ୍ବବତି ! ମହେଶକୁ ଅଶେଷ ।୧୧।

ଠଣମଧ୍ୟମା ! ସୁନ୍ଦରସୀମା ! ତୋହୋ ପରାଏ ତୁହି

ଠାଠିକ କରି କହି ବସିଲେ ତୋତେ ସମାନ କାହିଁ ?
ଠାବ ନ କଲା ମନ ମୋହୋର ତିନି ଭୁବନ ଖୋଜି

ଠିକେ ତା କେତେ କହିବି ଦୀନ- କୃଷ୍ଣ ମାନସେ ହେଜି ।୧୨।

 

 

ଡାକି ବୋଲିବି ତୁ ମୋ ମାନସ- ମାନସ ରାଜହଂସୀ

ଡ଼େଳାଇ ତାହା ସେହି ଅବନୀ- ସରେ ବିହରେ ଆସି !

ଡାଳିମ୍ବ- ବୀଜଜିତ- ଦଶନି ! ତେବେ ଅନ୍ତର ହେଲା

ଡମ୍ବରୁମଧ୍ୟା ବୋଇଲା କଥା ବିଅର୍ଥ ହୋଇଗଲା ।୧୩।

ତମ କହିବା ମନ ମୋହିବା ଏ ଅବା କଉଁ ଭଲ

ଢାଳେ ହେ ପ୍ରେମ ଲୋଭେ ଛଦ୍ରମ ବୋଲି ତରଙ୍ଗ ତୁଲ ।

ଢାଙ୍କୁଣି ଫେଇ ଫଣୀ ଖେଳାଇ ଗୀତ ଗାଇଲା ପ୍ରାୟେ

ଢଗଢମାଳି କପଟ କେଳି ପଛେ ଦହଇ କାୟେ ।୧୪।

 

ଆରତ ବୋଲ ଅନଙ୍ଗ ଗେଲ ଥୟେ ନୋହଇ ସଖି !

ଅଧଇର୍ଯ୍ୟରେ ଅନୁରାଗରେ ସମସ୍ତ ହୋଏ ଲେଖି

ଏବେ ବୋଇଲି ମୁଁ ମତ୍ତଫୁଲ- ଲିଟ ତୁ ଫୁଲ୍ଲ ଫୁଲ

ଅରବିନ୍ଦରୁ କୁଟଜ ଯାଏ ଅଚିର ଚୁମ୍ବ ଗେଲ ।୧୫।

 

ତପନ ପଦ୍ମ- ପ୍ରୀତି ଛଦ୍ରମ ପ୍ରାୟେ ଲାଗିଲା ମୋତେ

ତୋୟରୁ ଆଢ଼ ହେଲେ ଦହନ କରଇ କର ଘାତେ

ତାହାରି ନାହା- ଠାରେ ହେ ଯାହା ତାହା କହିବି କେତେ

ତୁଚ୍ଛା ବୁଦ୍ଧିରେ ରାତ୍ର ଦିବାରେ ମଧୁପ ଘେନି ମାତେ ।୧୬।

 

 

ଥୟ ନୋହଇ ଚନ୍ଦ୍ରମା କଇ- ରବର ଘେନାଘେନି

ଥାଇ ଏ ଜଳେ ସେ ଖ-ମଣ୍ଡଳେ ବିହରେ ତାରା ଘେନି

ଥାପନ୍ତି କବି- ମାନେ ଏଥିକି ଏ ପ୍ରୀତି ଏତେ କରି

ଥଳ ନ ପାଇ ଜଳେ କି ଜଳ- ଫେନ ଧଇଲେ ତରି ? ୧୭।

 

ଦେହ ପୁଲକ କେତେ ପୁଲକ ଅନ୍ତର କରି ମଣି

ଦେଇ କି ଲକ୍ଷ ଥିଲେ ଦିଲକ୍ଷ ଅନ୍ତର କଥା ଆଣି

ଦର୍ଶନ ସୁଖ ଶରୀର ଦୁଖ ସୁଖକୁ ହୋଏ ହେତୁ

ଦୂରେ ଅଦୂରେ ମଦନ ଶରେ ଅଛିଟି ଏଥି ହେତୁ ।୧୮।

 

ଧଇର୍ଯ୍ୟନିଧି ! ମଦନ ବ୍ୟାଧି ଔଷଧି ଲେଖା କଲେ

ଧବଳକର କରେ ତାହାର ପ୍ରଭା ବଢ଼ଇ ଭଲେ

ଧୃତି-ଧ୍ୱଂସିନି ବୋଲିବି ତୁ ମୋ ହୃଦର ଦିବ୍ୟ ବୀଣା

ଧୀରବଚନି ! ବଚନ ସଙ୍ଗେ ତୁଳିଲେ ଅତି ଊଣା ।୧୯।

 

ନିରନ୍ତରେ ହେ ତୁ ମୋତେ ସ୍ନେହେ ଦ୍ରବ କରାଉ ଯହୁଁ

ନିଶ୍ଚେ ମୁଁ ଚନ୍ଦ୍ର- ମଣି ତୁ ଚନ୍ଦ୍ର, ବୋଲି ବୋଲିବି କାହୁଁ ।

 

ନିଶାରେ ବିଧୁ କରରେ ବିଧୁ- ମଣି ଆରଦ୍ର କରେ

ନବ-ତରୁଣି ! ରମଣୀମଣି ! ତୁ ନିଶି ଦିବସରେ ।୨୦।

 

ପଦ୍ମ-ସୁବାସି ! ପିୟୁଷହାସି ! ପରମ ସୁଖରାଶି

ପଡ଼ିଲା ମୋତେ ପ୍ରମାଦ ତୋତେ ଡ଼ାକିବା କଥା ଆସି

ପୀତ-ବସନା ! ପୀନଜଘନା ! ପୀବରସ୍ତନା ! ତୋତେ

ପିକବଚନା ବୋଲିବାକୁ ତ ଲାଜ ମାଡ଼ଇ ମୋତେ ।୨୧।

 

ଫୁଲ ସମୟେ ତାର ଉଦୟେ ପୟୋଦ କାଳେ ହତ

ଫେଡ଼ି ତା କେତେ କହିବି ଯେତେ ଅବିଗୁଣରେ ଖ୍ୟାତ ?

ସ୍ଫୁଟ ରହିତ ଅବିଲମ୍ବିତ ବିରହୀ-ଦୁଖ ଦାନୀ

ଫଳତ ଏହି ପୁଣି ଉଠଇ ପଞ୍ଚପ୍ରାଣକୁ ଘେନି ।୨୨।

 

ବିବେକ ଊଣା ହୋଇବ ବୀଣା- ବଚନୀ ବୋଲିବାରେ

ବେଭାରେ ରାଗ ଘେନିଲେ ରାଗ ହୁଅଇ ତାହା ଠାରେ

ବର୍ଣ୍ଣଉଚ୍ଚାର ପ୍ରେମ ସଞ୍ଚାର ବିଚାର ତାର ନାହିଁ

ବାଜଇ କର- ରୁହ ପ୍ରହାର ପାଇଲେ ପୁଣି ସେହି ।୨୩।

 

ଭ୍ରୂଭଙ୍ଗୀ ଲୀଳା କଟାକ୍ଷମାଳା ଚନ୍ଦ୍ରରେ ନୋହେ ଦେଖି

ଭାବରେ ଘେନି ଡାକନ୍ତି ଧନି ! ପୂର୍ଣ୍ଣ-ଚନ୍ଦ୍ରମା-ମୁଖୀ

ଭଜଇ କ୍ଷୀଣ ମୃଗଲକ୍ଷଣ ଦିବସେ ପଣ୍ଡୁଭାବ

ଭାଷା କହିବା ମନ ମୋହିବା ଭାଗ୍ୟକେ ତାକୁ ଦେବ ? ୨୪।

 

 

ମୃଗ-ଖଞ୍ଜନ- ଚକୋର-ମୀନ- ନେତ୍ରୀ ବୋଲିବା କଥା

ମୋହୋ ମନକୁ ଆସଇ ନାହିଁ ହୁଅଇ ମହାବ୍ୟଥା

ମଦନମଦେ ମାତି ତୁ ଯେତେ ବେଳେ ଘୁମାଇ ଚାହୁଁ

ମହେଶ ଦମ୍ଭ ମହା-ଆରମ୍ଭ ଲେଶେ ରହିବ କାହୁଁ ? ।୨୫।

 

ଯୋଗୀନ୍ଦ୍ରମାନେ ଯୋଗ ଆସନେ ନିଶ୍ଚଳେ ଥିବେ ବସି

ଯେବେ ତୁ ହେଳେ ଚାହିଁବୁ ଡ଼ୋଳେ ମଧୁର ମନ୍ଦ ହସି

ଯିବ ତରଳି ଅଙ୍ଗ ଆବଳି ଅନଳ ଜଉ ପ୍ରାୟେ

ଯିବ କି ଜୟେ କେବେହେଁ ଲୟେ ଜୀବନ ଥିବାଯାଏ ।୨୬।

ରୋଲମ୍ବ ଚୁମ୍ବେ ବଧୁଲୀ ବିମ୍ବେ ପତଙ୍ଗ ଚଞ୍ଚୁ ଲାଗେ

ରଙ୍ଗର ଭଙ୍ଗ ହୋଏ ପତଙ୍ଗ ଦିବସ ମଧ୍ୟଭାଗେ

ରତନ ମଧ୍ୟେ ପ୍ରବାଳ ପଦ୍ମ- ରାଗ ମାଣିକ୍ୟ ଲେଖି

ରଙ୍ଗ-ଅଧର ପ୍ରାୟେ ତୋହୋର ଶୋଭା କାହିଁ ନ ଦେଖି ।୨୭।

ଲକ୍ଷ୍ୟ ହିଁ ଅବା କି କରି ଦେବା ବିବେକ ଦୂର କରି

ଲକ୍ଷଣବନ୍ତ ହୋଇ ଅମୃତ ଅଛି ତହିଁରେ ପରି

ଲୋଡ଼ି ମୋ ବୁଦ୍ଧି ଲାବଣ୍ୟନିଧି ସିଦ୍ଧି କରିବ କାହିଁ

ଲୋକପାଳକ ବେଳୁଁ ଏତେକ ବିଚାର କରି ନାହିଁ ।୨୮।

ବଲ୍ଲଭି ! ତୋର ବିନୁ କର୍ପୂର ଚନ୍ଦନ ଆଦି ଯେତେ

ବିଷ ପରାୟେ ପରତେ ହୋଏ ଆଉ କହିବି କେତେ

ବଡ଼ ସମ୍ପତ୍ତି ଥିଲେ ନୃପତି ଅଭାବେ କିଛି ନୋହେ

ବିଷ୍ଣୁ-ଭଗତି ବିନୁ ଅଗତି ଲୋକ କେବେହେଁ ଶୋହେ ? ୨୯।

 

ଶ୍ରୀହରି-ବାଣୀ ଶୁଣି ରମଣୀ- ମଣି ବୋଇଲେ ହସି

ସରାଗ ଚିତ୍ତେ ଡ଼ାକିବ ମୋତେ ଆସ ଗୋ ରାଧା ଦାସି !

ଶ୍ରୀକର ଧରି ମାଗୁଛି ହରି ଏତେକ ଆଜ୍ଞା ଦେବ

ଶ୍ୟାମ ସୁନ୍ଦର ତୁମ୍ଭ ପୟର ସେବାରେ ଦିନ ଯିବ ।୩୦।

 

ସହସ୍ର-କର- କରି ଅମର- ଗିରି ଛୁଇଁଲା ପ୍ରାୟେ

ଶ୍ରୀମୁଖୁ ମୋର ନେତ୍ର ଅନ୍ତର ନୋହିବ ଥିବା ଯାଏ

ସବୁରି ମୁଖେ ବୋଲିବେ ସୁଖେ ରାଧା ଶ୍ରୀକୃଷ୍ଣ ଏକ

ଶ୍ରୀ ବୃନ୍ଦାବନ- ମୃଗରାଜନ ! ଲୋଡ଼ା ମୋ ଏହିଟେକ ।୩୧।

 

ଶ୍ରୀମୁଖେ ଯେତେ କହିଲ ମୋତେ କରୁଣାମୟ ବୋଲି

ସବୁ ପ୍ରକାରେ ଏ ମହିମାରେ ସହଜେ ବଡ଼ ହେଲି

 

ସାମନ୍ତ ଘେନା- ଘେନି ଭାବନା ସହଜେ ଏହି ମତି

ସାର ରତନ- କେବେହେଁ ଆନ କରେ ଝଟକ ଜ୍ୟୋତି ।୩୨।

 

ହରଷ ଭରେ ପ୍ରେମ ବଶରେ ରାଧା ମାଧବ ବେନି

ହରିଲେ ନିଶି ପଲଙ୍କେ ବସି କହି ଏ ଘେନାଘେନି

ହୃଦ ସାରସ କରି ବିକାଶ ନିତ୍ୟ କର୍ମକୁ ଗଲେ

ହରି ଦିଗରେ ହଂସ ରଥରେ ବସି ବିଜୟ କଲେ ।୩୩।

 

କ୍ଷମା ସାଗର ନାଗରବର ନନ୍ଦନନ୍ଦନ ଲୀଳା

କ୍ଷକ୍ଷନ୍ଦ ମନେ ହେ ସାଧୁ ଜନେ କଣ୍ଠରେ କର ମାଳା

କ୍ଷଣେ ଅନ୍ତର ନ କର କର ଧରି କହୁଛି ଏତେ

କ୍ଷାର ପାମର ଦୀନକୃଷ୍ଣର ଭାବନା ଅବିରତେ ।୩୪।